ବ୍ରିଟିଶ ଅମଳର ପୁରୁଣା ଲୁହା ବାଡ଼ କଢ଼ାଯାଇ ପିତ୍ତଳର ବାଡ଼ ଲଗାଯାଇଛି । ୧୬ କୋଣୀ ଏହି ଶିଳାସ୍ତମ୍ଭର ଉପରି ଭାଗରେ ସୂର୍ଯ୍ୟଙ୍କ ସାରଥି ଅରୁଣ ଅଧିଷ୍ଠିତ ହୋଇଛନ୍ତି । ଅରୁଣଙ୍କ ସମାନ ଉଚ୍ଚତାରେ ବଡ଼ଦେଉଳ ରତ୍ନବେଦି ରହିଛି ବୋଲି କୁହାଯାଏ ।
ଅଷ୍ଟାଦଶ ଶତାବ୍ଦୀରେ ତତ୍କାଳୀନ ମହାରାଜା ଦିବ୍ୟସିଂହ ଦେବଙ୍କ ଶାସନ କାଳରେ କୋଣାର୍କରୁ ସ୍ଥାନାନ୍ତର ହୋଇ ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ଶୋଭା ପାଉଛି ଅରୁଣ ସ୍ତମ୍ଭ । ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଦେବବ୍ରତ ସାହୁ କୁହନ୍ତି ପୂର୍ବ ଲୁହାର ବାଡ଼ ମୁନିଆ ଥିଲା ।
ପ୍ରବଳ ଭିଡ଼ରେ ଭକ୍ତ ଆହତ ହେବାର ଆଶଙ୍କା ରହିଥିଲା । ବର୍ତ୍ତମାନ ପିତ୍ତଳ ବାଡ଼ ସୁନ୍ଦର ଦେଖାଯିବା ସହ ବିପଦର ସମ୍ଭାବନା ନାହିଁ । କିନ୍ତୁ ଭକ୍ତମାନେ ଏହାକୁ ଗ୍ରହଣ କରି ପାରୁ ନାହାନ୍ତି | ଅରୁଣ ସ୍ତମ୍ଭକୁ ପ୍ରାୟ ୪ ଫୁଟ ଉଚ୍ଚର ବାଡ଼ ଘେରା ଯିବାରେ ଭକ୍ତର ଧର୍ମୀୟ ଭାବନାକୁ ଆଘାତ ପହଞ୍ଚିଥିବା ଅଭିଯୋଗ ହୋଇଛି ।
ଠାକୁରଙ୍କ ଦର୍ଶନ ପାଇଁ ଭକ୍ତମାନେ ସିଂହଦ୍ୱାରରେ ପ୍ରବେଶ କରିବା ପୂର୍ବରୁ ଅରୁଣ ସ୍ତମ୍ଭକୁ ସ୍ପର୍ଶ କରି ମୁଣ୍ଡିଆ ମାରନ୍ତି । ଏବେ ଛାତିଏ ଉଚ୍ଚତା ବିଶିଷ୍ଟ ବାଡ଼ ଲାଗିବାରେ ଭକ୍ତମାନେ ଏହି ଅଧିକାରରୁ ବଞ୍ଚିତ ହୋଇଥିବା କ୍ଷୋଭର ସହ କହିଛନ୍ତି ।