ରାଜଧାନୀ ଭୁବନେଶ୍ୱରରେ ‘ଲଭ୍ ଜିହାଦ୍’ର ସାଂଘାତିକ ଚିତ୍ର । ମିଛ ପରିଚୟ ଦେଇ ଯୁବତୀଙ୍କୁ ପ୍ରେମ ଜାଲରେ ଫସାଇବା ସହ ଅକଥନୀୟ ନିର୍ଯାତନା ଦେଉଥିଲା ଅଭିଯୁକ୍ତ । ତେବେ କର୍ଣ୍ଣାଟକ ଫେରାର ହେବା ପୂର୍ବରୁ ସହିଦନଗର ଥାନା ପୋଲିସ ହାତରେ ଧରାପଡ଼ିଛି ଧୂର୍ତ୍ତ ପ୍ରେମିକ । ଗିରଫ ଅଭିଯୁକ୍ତ ଜଣକ ହେଉଛି କର୍ଣ୍ଣାଟକର ଇରଫାନ ଅନସାରୀ ।ନିଜକୁ ‘ଜୟରାମ ଶର୍ମା’ ପରିଚୟ ଦେଇ ଜଣେ ଯୁବତୀଙ୍କୁ ପ୍ରେମ ଜାଲରେ ଫସାଇଥିଲା କର୍ଣ୍ଣାଟକର ଇରଫାନ ଅନସାରୀ । ସୋସିଆଲ ମିଡିଆରୁ ଆରମ୍ଭ ହୋଇଥିବା ଏହି ସମ୍ପର୍କ ଶେଷରେ ପହଞ୍ଚିଥିଲା ହୋଟେଲ ରୁମ୍ର ନିର୍ଯାତନା ପର୍ଯ୍ୟନ୍ତ । ଯୁବତୀ ଜଣକ ଅସଲ ପରିଚୟ ଜାଣିବା ପରେ ଦୂରେଇ ଯିବାକୁ ଚେଷ୍ଟା କରିଥିଲେ, ହେଲେ ଅଭିଯୁକ୍ତ ତାଙ୍କୁ ବନ୍ଧକ ରଖି ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି ।କେବଳ ସେତିକି ନୁହେଁ, ଯୁବତୀଙ୍କୁ ଜୋର ଜବରଦସ୍ତ କର୍ଣ୍ଣାଟକ ନେଇଯିବାକୁ ଇରଫାନ ଯୋଜନା କରୁଥିବା ବେଳେ ଅଧାବାଟରେ ମାଡ଼ି ବସିଛି ସହିଦନଗର ଥାନା ପୋଲିସ । ଇରଫାନ ନିକଟରୁ ମାରଣାସ୍ତ୍ର ସହ ଏକାଧିକ ଜାଲ୍ ପରିଚୟ ପତ୍ର ଜବତ କରାଯାଇଛି ।ଯୁବତୀ ଜଣକ କର୍ଣ୍ଣାଟକର ଏକ ହୋଟେଲରେ କାମ କରୁଥିବା ବେଳେ ଇରଫାନଙ୍କ ସହ ତାଙ୍କର ଦେଖା ହୋଇଥିଲା । ସେଠାରେ ଇରଫାନ ନିଜକୁ ଜୟରାମ ଶର୍ମା କହି ବନ୍ଧୁତା ବଢ଼ାଇଥିଲା । ପରେ ଯୁବତୀ ଜଣକ ପୁରୀ ଆସି ଚାକିରି କରିଥିବା ବେଳେ ଅଭିଯୁକ୍ତ ସେଠାକୁ ଆସି ମଧ୍ୟ ଦେଖା କରୁଥିଲା ।ଦୀର୍ଘ ଏକ ବର୍ଷ ଧରି ସବୁ କିଛି ଠିକ୍ ଚାଲିଥିବା ବେଳେ ଦିନେ ଯୁବତୀଙ୍କ ହାତରେ ଇରଫାନର ଦୁଇଟି ଆଧାର କାର୍ଡ ଲାଗିଥିଲା । ଗୋଟିଏରେ ‘ଜୟରାଜ ଶର୍ମା’ ଓ ଅନ୍ୟଟିରେ ‘ଇରଫାନ ଅନସାରୀ’ ନାମ ଦେଖି ଯୁବତୀଙ୍କ ସନ୍ଦେହ ବଢ଼ିଥିଲା ।ସତ ପଦାକୁ ଆସିବା ପରେ ଅଭିଯୁକ୍ତ ଉଗ୍ର ରୂପ ଧାରଣ କରିଥିଲା ଏବଂ ଯୁବତୀଙ୍କୁ ମରଣାନ୍ତକ ଆକ୍ରମଣ କରି ଫେରାର ହେବାକୁ ଉଦ୍ୟମ କରୁଥିଲା ।ଏତିକି ବେଳେ ସହିତନଗର ପୁଲିସ ରେଡ୍ ମାରି ଏକ ହୋଟେଲରୁ ଯୁବତୀଙ୍କୁ ଉଦ୍ଧାର କରିଛି ।