ଉତ୍ତର ପ୍ରଦେଶର ଆଗ୍ରାରେ ଏକ ହତ୍ୟା ମାମଲା ସାମ୍ନାକୁ ଆସିଛି, ଯାହା ପୋଲିସ ଏବଂ ସ୍ଥାନୀୟ ଲୋକଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ଜଣେ ବ୍ୟକ୍ତିଙ୍କ ନିଖୋଜ ଘଟଣା 45 ଦିନ ଧରି ଚାଲିଥିଲା,କିନ୍ତୁ ପୋଲିସ ବାଥରୁମର ମହଲା ଭାଙ୍ଗିବା ପରେ ତାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ପୋଲିସ ମୃତକଙ୍କ ସ୍ତ୍ରୀଙ୍କୁ ଅଟକ ରଖି ପଚରାଉଚରା ଆରମ୍ଭ କରିଛି। ଏହି ଘଟଣାରେ ଆଉ କେହି ସମ୍ପୃକ୍ତ ଅଛନ୍ତି କି ନାହିଁ ତାହା ମଧ୍ୟ ତଦନ୍ତ କରୁଛି।ଦୀର୍ଘ ୪୫ ଦିନ ହେଲା ଆଗ୍ରାର ଜଣେ ମହିଳା ନାଟକ କରି ଚାଲିଥିଲେ। ସେ ନିଜର ସମ୍ପର୍କୀୟ ଓ ପୁଲିସ୍କୁ ରହସ୍ୟଜନକ ଭାବେ ସ୍ୱାମୀ କେଉଁ ଆଡ଼େ ଚାଲି ଯାଇଥିବାର ଗପ କହି ଆସୁଥିଲେ। ସ୍ତ୍ରୀଙ୍କ ଏପରି କଥା ଶୁଣି ପରିବାର ଲୋକ ଓ ପୁଲିସ୍ ମଧ୍ୟ ନିଖୋଜ ବ୍ୟକ୍ତିଙ୍କୁ ଖୋଜିବାରେ ଲାଗିଥିଲେ।ହେଲେ ନିଖୋଜର ୪୫ ଦିନ ପରେ ସମସ୍ତଙ୍କୁ ଚକିତ କରିବା ଭଳି ତଥ୍ୟ ସାମ୍ନାକୁ ଆସିଛି। ଯେଉଁ ୪୪ ବର୍ଷୀୟ ବ୍ୟକ୍ତିଙ୍କୁ ସମସ୍ତେ ଖୋଜୁ ଥିଲେ, ବାସ୍ତବରେ ତାଙ୍କୁ ହତ୍ୟା କରାଯାଇଥିଲା। ସମସ୍ତଙ୍କୁ ନିଖୋଜ ଗପ କହୁଥିବା ସ୍ତ୍ରୀ ଜଣଙ୍କ ହିଁ ତାଙ୍କୁ ହତ୍ୟା କରିଥିଲେ।ଏହାପରେ ସେମାନେ ରହୁଥିବା ଘରର ବାଥରୁମରେ ମୃତଦେହକୁ ପୋତି ଟାଇଲ ଲଗାଇ ଦେଇଥିଲେ। ଏବେ ପୁଲିସ୍ ବାଥରୁମରେ ପଡ଼ିଥିବା ନୂଆ ଟାଇଲକୁ ଖୋଳିବା ପରେ ତା’ ଭିତରୁ ନିଖୋଜ ବ୍ୟକ୍ତିଙ୍କ ଅଧା ପୋଚି ଯାଇଥିବା ମୃତଦେହକୁ ଠାବ କରିଛି। ମେ ୧୮ ତାରିଖରୁ ସୁରେନ୍ଦ୍ର କୁମାର ଶର୍ମା ନିଖୋଜ ଥିଲେ। ତାଙ୍କ ପତ୍ନୀ ରୁବି ପରିବାର ସଦସ୍ୟ ଓ ପଡ଼ୋଶୀମାନଙ୍କୁ କହୁଥିଲେ ଯେ ସୁରେନ୍ଦ୍ର କେଉଁଆଡ଼େ କାମରେ ଯାଇଛନ୍ତି ଏବଂ ଶୀଘ୍ର ଫେରି ଆସିବେ। ହେଲେ ୨୫ ତାରିଖ ଯାଏ ତାଙ୍କର କୌଣସି ପତ୍ତା ମିଳି ନଥିଲେ। ଶେଷ ମେ’ ୨୬ ତାରିଖରେ ନିଖୋଜ ସମ୍ପର୍କିତ ଏକ ମାମଲା ରୁଜୁ ହୋଇଥିଲା। ସୁରେନ୍ଦ୍ରଙ୍କ ଭାଇ ମଧ୍ୟ ପୁଲିସକୁ କିଛି ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଥିଲେ। ପୁଲିସ୍ ଏହି ସୂଚନା ପରେ ଘରର ସମ୍ପୂର୍ଣ୍ଣ ଯାଞ୍ଚ କରିଥିଲା। ଯାଞ୍ଚ ବେଳେ ପୁଲିସର ନଜର ଘରର ବାଥରୁମ୍ ଉପରେ ପଡ଼ିଥିଲା। ସେଠାରେ ନୂଆ ଟାଇଲ୍ସ ବିଛାଯାଇଥିଲା ଓ ନୂଆ ପ୍ଲାଷ୍ଟର କରାଯାଇଥିବା ଦେଖି ସନ୍ଦେହ ବଢ଼ିଥିଲା। ବାଥରୁମ୍ ଚଟାଣ ତଳେ କିଛି ଲୁଚାଇ ରଖାଯାଇଥିବା ସନ୍ଦେହରେ ପୁଲିସ ଖୋଳିବାକୁ ନିର୍ଦ୍ଦେଶ ଦେଇଥିଲା।ବାସ୍ ଏହାପରେ ସବୁ ରହସ୍ୟ ଉପରୁ ଉଠିଥିଲା ପରଦା। ଟାଇଲ୍ସ ତଳୁ ମିଳିଥିଲା ସୁରେନ୍ଦ୍ରଙ୍କ ଅଧା ପଚି ସାରିଥିବା ମୃତଦେହ। ହତ୍ୟାକାଣ୍ଡକୁ ଲୁଚାଇବା ପାଇଁ ଯୋଜନାବଦ୍ଧ ଭାବେ ଏପରି ଉଦ୍ୟମ କରାଯାଇଥିଲା ବୋଲି ପୁଲିସ୍ ନିଶ୍ଚିତ ହୋଇଛି।